ଆମଭାରତ { କଟକ } 16/3 : ଖୋର୍ଦ୍ଧାରୁ ପାରାଦୀକୁ ଚାଲାଣବେଳେ କଟକ ଲିଙ୍କରୋଡ୍ ଛକରୁ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଏକ କାର୍ ସହ ୨୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପୁରୀ ଜିଲା ଗଡିଶାଗୋଦାର ଅନ୍ତର୍ଯ୍ୟାମୀ ବଳିଆରସିଂ(୩୦), ସୁନାଖଳା ଅଞ୍ଚଳର ସୁବ୍ରତ ରଣସିଂ(୨୬) ଓ କଟକ ଜିଲା ନିଆଳି ଅଞ୍ଚଳର ବାବୁନା ନାୟକ(୨୬)। ଏମାନଙ୍କ ମଧ୍ୟରୁ ଜଣେ ଏକ ଘରୋଇ ମେଡିକାଲର ଫାର୍ମାସିଷ୍ଟ ଥିବାବେଳେ ଅନ୍ୟ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି। ଏହି ଘଟଣାରେ ବିଭାଗ ପକ୍ଷରୁ ୨୧୪/୧୮-୧୯ରେ ଏକ ମାମଲା ରୁଜୁ କରାଯାଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।
ମିଳିଥିବା ସୂଚନାନୁଯାୟୀ, ବ୍ରାଉନସୁଗାର ଚାଲାଣ ସଂକ୍ରାନ୍ତରେ ଅବକାରୀ ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାର ଭୋର୍ ୪ଟାରୁ ଲିଙ୍କ୍ରୋଡ୍ ଓ ଆଖପାଖରେ ଛକି ରହିଥିଲେ। ସମସ୍ତେ ସାଦା ପୋଷାକରେ ଥିଲେ। ସକାଳ ସାଢେ ୫ଟାବେଳେ ଅଭିଯୁକ୍ତମାନେ ଏକ କାର(ଓଡି୨୧ଏଫ୍୨୦୩୬)ରେ ଲିଙ୍କ୍ରୋଡ୍ରେ ପହଞ୍ଚିବା କ୍ଷଣି ସେମାନେ ଅଟକାଇ ଘେରିଯାଇଥିଲେ। ଯାଞ୍ଚବେଳେ କାର ପଛପଟ ସିଟ୍ରେ ଦୁଇଟି ପ୍ୟାକେଟରେ ବ୍ରାଉନସୁଗାର ମିଳିଥିଲା। ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ସେମାନେ ସବୁକଥା ମାନିଥିଲେ। ବେପାର ପାଇଁ ସେମାନେ ଖୋର୍ଦ୍ଧାରୁ ଜଣେ ବ୍ୟବସାୟୀଙ୍କଠାରୁ ବ୍ରାଉନସୁଗାର ନେଇ ପାରାଦୀପ ଯାଉଥିବା କହିଥିଲେ। ତେବେ ଖୋର୍ଦ୍ଧାର ଉକ୍ତ ବ୍ୟବସାୟୀ ଜଣକ କିଏ, ସେ କେଉଁଠାରୁ ବ୍ରାଉନସୁଗାର ଆଣନ୍ତି ଓ ତାଙ୍କ ଲିଙ୍କ୍ରେ ଆଉ କେତେଜଣ ରହିଛନ୍ତି ତାହା ଉପରେ ଅଧିକ ତଦନ୍ତ ଜାରି ରହିଥିବା ଇନ୍ସପେକ୍ଟର ଜଗଦୀଶ କହିଛନ୍ତି।