Odisha Latest Breaking News & Current Headlines

ବିଜେପି ବିଧାୟକ ଆସିଲେ ୧୦ଟି ଆରଓବି କରାଯିବ, ବିଜେପିକୁ ଆଣ ବୋଲି କହିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା l

0

ଆମଭାରତ ୫ /୩ : { ପୁରୀ } : କେବଳ ସିଦ୍ଧ ମହାବୀର ଆରଓବି ନୁହେଁ, ବିଜେପି ବିଧାୟକ ଆସିଲେ ୧୦ଟି ଆରଓବି କରାଯିବ। ବିଜେପିକୁ ଆଣ, ଉନ୍ନତି ପରେ ଉନ୍ନତି ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ଏହାର ଅର୍ଥ ବିଜେପି ବିଧାୟକ ନଆସିଲେ ସିଦ୍ଧ ମହାବୀର ଆରଓବି ପାଇଁ କେନ୍ଦ୍ରରୁ ଅନୁମୋଦନ ମିଳିବା କଷ୍ଟକର ହେବ ବୋଲି ପରୋକ୍ଷରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ।

ସିଦ୍ଧ ମହାବୀର ଆରଓବି ପ୍ରସଙ୍ଗରେ ଆଜି କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ବଢ଼ିଛି। ଏହି ଆରଓବି ଏବେ ହଜାର ହଜାର ଲୋକଙ୍କର ଆବଶ୍ୟକତା। ଏହା କିପରି କରାଯିବ ସେହି ରାସ୍ତା ବାହାର କରିବା ପରିବର୍ତ୍ତେ ଏହା ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗତକାଲି ରାଜସ୍ବ ମନ୍ତ୍ରୀ କେନ୍ଦ୍ର ଉପରେ ଦୋଷ ଲଦିଥିବା ବେଳେ ଆଜି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ବିଜେପି ଆସିଲେ ଆରଓବି ହେବ ବୋଲି କହିଛନ୍ତି। ବିଜେପି ଆଜି ପୁରୀରେ ମତ୍ସ୍ୟଜୀବୀଙ୍କ ଭୋଟ୍‌କୁ ଟାର୍ଗେଟ କରିଛି। ଆଗକୁ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ମନ୍ତ୍ରୀ ଆସି ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ। ବେଶ କିଛି ସମୟ ମତ ବିନିମୟ ପରେ ମତ୍ସ୍ୟଜୀବୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନା ସମ୍ପର୍କରେ କହିଥିଲେ।

 ମତ୍ସ୍ୟଜୀବୀଙ୍କ ପାଇଁ ନୂଆ ଯୋଜନା କରାଯାଇଛି। ଯାହାର ଉପକାର ସେମାନେ ପାଇବେ। କେନ୍ଦ୍ର ମତ୍ସ୍ୟଜୀବୀ କଲ୍ୟାଣ ଉପରେ ଗୁରୁତ୍ବ ଦେଉଛି। ହେଲେ ରାଜ୍ୟ ସରକାର କେନ୍ଦ୍ରର ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି କି ଲୋକଙ୍କ ପାଖରେ କେନ୍ଦ୍ରୀୟ ଯୋଜନାକୁ ପହଞ୍ଚାଉନାହାନ୍ତି। ସେ କହିଲେ, କେନ୍ଦ୍ର ସରକାର କୃଷକ ସମ୍ମାନ ନିଧି ଯୋଜନା କରିଛନ୍ତି। ଯାହାକୁ ରାଜ୍ୟ କାର୍ଯ୍ୟକାରୀ କରୁନାହିଁ। କେନ୍ଦ୍ରର ଅନେକ ଯୋଜନା ରାଜ୍ୟ କାର୍ଯ୍ୟକାରୀ କରୁନଥିବା ପଛରେ କେବଳ କମିଶନି କାରବାର କାରଣ ରହିଛି। କଂଗ୍ରେସକୁ ବି କଟାକ୍ଷ କରି ସିହ୍ନା କହିଲେ, ବିଜେପି ସରକାରକୁ ଆସିବା ପରେ ଦେଶର ୯.୫ କୋଟି ଲୋକଙ୍କ ଘରେ ଶୌଚାଳୟ ତିଆରି ହୋଇଛି। ୧.୫ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଛି। ୩୪ କୋଟି ଲୋକଙ୍କର ବ୍ୟାଙ୍କ ଖାତା ଖୋଲିଛି। ସାଢ଼େ ୬ କୋଟି ଗରିବ ମହିଳାଙ୍କୁ ଗ୍ୟାସ ସଂଯୋଗ ମିଳିଛି। ଶ୍ରୀମନ୍ଦିର ସ୍ଥିତି ଓ ଅବ୍ୟବସ୍ଥା ନେଇ ସ୍ଥାନୀୟ ବିଧାୟକ ଏବଂ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କହିଥିଲେ, ନବକଳେବର ବାବଦରେ ଆସିଥିବା ପାଣ୍ଠି ଖର୍ଚ୍ଚ କରିପାରିନାହାନ୍ତି ସରକାର। ଯାହା ବି ଖର୍ଚ୍ଚ ହୋଇଛି, ସେଥିରେ ବ୍ୟାପକ ଦୁର୍ନୀତି ହୋଇଛି। ଶ୍ରୀମନ୍ଦିର ବ୍ୟବସ୍ଥାକୁ ସ୍ଥାନୀୟ ନେତା ନିୟନ୍ତ୍ରଣରେ ରଖୁଛନ୍ତି। ଏଠି ନାରୀଙ୍କୁ ସମ୍ମାନ ମିଳୁନାହିଁ। ପିପିଲିର ବେବିନା ପ୍ରସଙ୍ଗକୁ ଉଠାଇ ନେତା ଏବଂ ସରକାରଙ୍କୁ କଟାକ୍ଷ କରିଥିଲେ ସିହ୍ନା।

ସେପଟେ ବିଜେପି ନେତାଙ୍କ ମନ୍ତବ୍ୟ ଉପରେ ଉତ୍ତର ରଖିଛି ବିଜେଡି। ବିଜେଡି ନଗର ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି, ଲୋକଙ୍କ ସମସ୍ୟା ସମାଧାନ ପ୍ରତି ବିଜେପି ନେତାଙ୍କ ଆନ୍ତରିକତା ଏଥିରୁ ଜଣାପଡ଼ୁଛି। ସିଦ୍ଧ ମହାବୀର ଆରଓବି ପ୍ରସ୍ତାବ କେନ୍ଦ୍ର ପାଖରେ ୪ ମାସ ହେଲା ପଡ଼ିଛି। ତାକୁ ଅନୁମୋଦନ ନକରି ବିଜେପି ବିଧାୟକ ଆସିଲେ ଆରଓବି କରାଯିବ ବୋଲି କହିବା ବିଜେପିର ହୀନମନ୍ୟତା। ଏହାବ୍ୟତୀତ ନବକଳେବର ବେଳେ ୱାଇଫାଇ ବ୍ୟବସ୍ଥା ‌କେନ୍ଦ୍ରମନ୍ତ୍ରୀ ଆରମ୍ଭ କରିଥିଲେ। କହିଥିଲେ ବର୍ଷତମାମ ଚାଲିବ ୱାଇଫାଇ। ମାତ୍ର ୩ ମାସରେ ସବୁ ଗଲା। ନବକଳେବର ବେଳେ ଅନେକ ପ୍ରକଳ୍ପର ପ୍ରତିଶ୍ରୁତି ଦେଇଥିଲା କେନ୍ଦ୍ର। ହେଲେ କ’ଣ କରିଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.