ଆମଭାରତ ୫ /୩ : { ଇସ୍ଲାମାବାଦ }: ଭାରତ ଓ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଚାପରେ ଚେପା ପାକିସ୍ତାନ ଏବେ ବାଧ୍ୟ ହୋଇ କିମ୍ବା ଲୋକ ଦେଖାଣିଆ ଭାବେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ନିଷିଦ୍ଧ ଘୋଷିତ ହୋଇଥିବା ବିଭିନ୍ନ ସଂଗଠନର ୪୪ ଜଣ ସଦସ୍ୟଙ୍କୁ ପାକିସ୍ତାନ ସରକାର ଅଟକ ରଖିଛନ୍ତି। ଏମାନଙ୍କ ମଧ୍ୟରେ ଭାରତରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟାଉଥିବା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରର ଭାଇ ମୁଫତି ଅବଦୁଲ ରୌଫ ଅଶଗର ରହିଛି। ଏହା ବ୍ୟତୀତ ମାସୁଦର ଶାଳକ ହମ୍ମାଦ ଆଝାରକୁ ମଧ୍ୟ ପାକିସ୍ତାନ ସରକାର ନିଜ ହେଫାଜତକୁ ନେଇଛନ୍ତି।
ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶାହାରୟାର ଆଫ୍ରିଦି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହା ପୂର୍ବରୁ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
ଅଟକ ଥିବା ମୁଫତି ଅବଦୁଲ ରୌଫ ଅଶଗର ହେଉଛି ଜୈଶର କୁଖ୍ୟାତ ଆତଙ୍କୀ। ସେ ଜୈଶର ଅପରେସନାଲ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା। ଭାରତରେ ଘଟୁଥିବା ଏକାଧିକ ଆତଙ୍କୀ ହମ୍ଲା ତା’ରି ନିର୍ଦ୍ଦେଶରେ ହୋଇଛି। ଏଥିସହ ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣାରେ ମଧ୍ୟ ସେ ସାମିଲ ଥିଲା। ସେ ମାସୁଦ ସହ ସର୍ବଦା ବାହାବଲପୁର ସ୍ଥିତ କ୍ୟାମ୍ପରେ ଲୁଚି ରହିଥିବା କୁହାଯାଉଥିଲା।