ଏପ୍ରିଲ ୧ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ ପାର୍କିଂ ନୀତି ଲାଗୁ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କର୍ତ୍ତୃପକ୍ଷଙ୍କୁ କହିଥିଲେ।
ଆମଭାରତ 4/3 : { ଭୁବନେଶ୍ବର }: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ଏବେ ହେଉଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ବିଷୟରେ ବୁଝିବା ସହ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପର ଅଗ୍ରଗତି ନେଇ ବୁଝିଥିଲେ। ଏବେ ବାର୍ଷିକ କେତେ ଯାତ୍ରୀ ଯାତାୟାତ କରୁଛନ୍ତି, ଯାତ୍ରୀଙ୍କୁ କ’ଣ ସୁବିଧା ସୁଯୋଗ ମିଳୁଛି ସେ ବିଷୟରେ ସମୀକ୍ଷା କରିଥିଲେ। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କେନ୍ଦ୍ର ମନ୍ତ୍ରୀଙ୍କୁ ସମସ୍ତ ତଥ୍ୟ ଦେଇଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିହ୍ନା ଯାତ୍ରୀଙ୍କୁ ବିମାନବନ୍ଦରରେ ମିଳୁଥିବା ସୁବିଧା ସୁଯୋଗ ଏବଂ ବିମାନବନ୍ଦର କିପରି ଲାଗୁଛି, ସେନେଇ ପଚାରିଥିଲେ। ବିମାନବନ୍ଦରରେ ମିଳୁଥିବା ସୁବିଧା ସୁଯୋଗ ସନ୍ତୋଷଜନକ ଥିବା ଜାଣିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ। ଏବେ ୪ଟି ଏୟାରବ୍ରିଜ୍ କାର୍ଯ୍ୟକ୍ଷମ ଥିବା ବେଳେ ଆଗାମୀ ଦିନରେ ଆଉ ୭ଟି ଏୟାରବ୍ରିଜ୍ ନିର୍ମାଣ ହେବ ବୋଲି କହିଥିଲେ। ଏହା ଟି-୧, ଟି-୨ ଏବଂ ଟି-୩ ଟର୍ମିନାଲରେ ନିର୍ମାଣ ହେବ ବୋଲି କହିଥିଲେ।
ସେହିପରି ଏପ୍ରିଲ ୧ରୁ ବିମାନବନ୍ଦରରେ ନୂଆ ପାର୍କିଂ ନୀତି ଲାଗୁ କରିବାକୁ କର୍ତ୍ତୃପକ୍ଷଙ୍କୁ କହିଥିଲେ।
ଏପ୍ରିଲ ୧ରୁ ନୂଆ ପାର୍କିଂ ନୀତି
ଟ୍ୟାକ୍ସି ପିକ୍ ଅପ୍ ପାଇଁ ଆସିଲେ ୪୦ଟଙ୍କା,
ଡ୍ରପ୍ କଲେ ମାଗଣା
ଗାଡ଼ି ପାର୍କିଂ କଲେ ଅଧଘଣ୍ଟାକୁ ୨୦ଟଙ୍କା
ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ଆମେ ଏପ୍ରିଲ ୧ରୁ ନୂଆ ପାର୍କିଂ ନୀତି ଲାଗୁ କରିବୁ। ଏବେ ପାର୍କିଂ ପରିଚାଳନା ନେଇଥିବା ଘରୋଇ ସଂସ୍ଥାର କାର୍ଯ୍ୟ ଜାନୁଆରି, ୨୦୨୦ରେ ଶେଷ ହେବାକୁ ଥିଲେ ହେଁ ଏପ୍ରିଲ୍ ୧ରୁ ନୂଆ ନିୟମ ଅନୁଯାୟୀ ପାର୍କିଂ ଫି ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଘରୋଇ ସଂସ୍ଥାକୁ ନୋଟିସ୍ କରାଯାଇଥିବା ବେଳେ ମାର୍ଚ୍ଚ ୨୧ରେ ଏହାର ଅବଧି ପୂରିବ। ଏହାପରେ ଯାତ୍ରୀଙ୍କୁ ପିକ୍ଅପ୍ ଏବଂ ଡ୍ରପ୍ କରିବାକୁ ଆସିବାକୁ ଥିବା ଘରୋଇ ଗାଡ଼ିରୁ ପାର୍କିଂ ଫି’ ଆଦାୟ ହେବନି। କିନ୍ତୁ ଟ୍ୟାକ୍ସି ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଗାଡ଼ିରୁ ଫି’ ଆଦାୟ ହେବ। ଯଦି ଟ୍ୟାକ୍ସି ଯାତ୍ରୀଙ୍କୁ ଡ୍ରପ୍ କରିବାକୁ ଆସୁଥିବ ତେବେ ପାର୍କିଂ ଫି’ ଦେବାକୁ ପଡ଼ିବନି। କିନ୍ତୁ ପିକ୍ ଅପ୍ କରିବାକୁ ଆସୁଥିଲେ ପାର୍କିଂ ଫି’ ବାବଦକୁ ୪୦ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ଘରୋଇ ଗାଡ଼ି/ଟ୍ୟାକ୍ସି ବିମାନବନ୍ଦର ପରିସରରେ ପାର୍କିଂ କରିବେ, ସେମାନଙ୍କଠାରୁ ଅଧଘଣ୍ଟା ପିଛା ୨୦ଟଙ୍କା ହିସାବରେ ପାର୍କିଂ ଫି’ ଆଦାୟ ହେବ ବୋଲି ଶ୍ରୀ ହୋତା କହିଛନ୍ତି।