୭ ବର୍ଷ ପରେ ସିଂହଦ୍ବାର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ଏଏସ୍ଆଇର ବରିଷ୍ଠ ଅଧିକାରୀ ସିଆର୍ ଦାସ।
ଆମଭାରତ 4/3 : { ପୁରୀ } : ଶ୍ରୀମନ୍ଦିର ସିଂହଦ୍ବାର ନିରାପଦ, ସମ୍ପୂର୍ଣ୍ଣ ସୁରକ୍ଷିତ। ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ମରାମତି କାର୍ଯ୍ୟ ୭ ବର୍ଷ ପରେ ଆଜି ସମ୍ପୂର୍ଣ୍ଣ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ୧୧ଟି ଷ୍ଟିଲ୍ ବିମ୍ ଦେଇ ସିଂହଦ୍ବାରକୁ ସୁରକ୍ଷିତ କରିଥିବା ଦାବି କରିଛି।
ଚୂନ ଛେଲା ଖସିବାରୁ ଏହାର ଉଚ୍ଚସ୍ତରୀୟ ଯାଞ୍ଚ କରାଯାଇଥିଲା। ମହାଦେବ ଦୁଇ ପଟୁ କୋଠା ଘର ସିଂହଦ୍ବାର ଗୁମୁଟକୁ ମାଡ଼ି ବସିଥିଲା। ଧସିଯିବା ସ୍ଥିତିରେ ଥିଲା ସିଂହଦ୍ବାର। ଏକଥା ଜଣାପଡ଼ିବା ପରେ ତତ୍କାଳ ମରାମତି ପାଇଁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଏସ୍ଆଇ ମରାମତି ଆରମ୍ଭ କରି ପ୍ରଥମେ ଦ୍ବାର ଉପର, ଦଶାବତାର ମୂର୍ତ୍ତି ତଳେ ଓ ଉପରେ ପଥର ଧସିବା ଭଳି ସ୍ଥିତି ଦେଖି ତତ୍କାଳ ଷ୍ଟିଲ୍ ବିମ୍ ଭାରା ଦେଇଥିଲା। ଦଶାବତାର ପଥର ତଳେ ୨ଟି ବିମ୍ ଦେଇ ତାହାକୁ ସୁଦୃଢ଼ କରାଯାଇଥିଲା। ପରେ ଉପରେ ଆଉ ୪ଟି ବିମ୍ ଦିଆଯାଇଥିଲା। ଫଳରେ ବାହାରପଟ ସୁରକ୍ଷିତ ହୋଇଥିଲା। ଅନେକ ଫଟା ପଥରକୁ ଏଏସ୍ଆଇ କର୍ତ୍ତୃପକ୍ଷ ବଦଳାଇଥିଲେ। ମାତ୍ର ସିଂହଦ୍ବାର ଭିତରପଟ ମରାମତି ହୋଇ ପାରିନଥିଲା। ଚୂନ ଛଡ଼ା ପରେ ସେମିତି ରହିଥିଲା। ଗତ ୪ ଦିନ ତଳେ ପତିତପାବନଙ୍କ ଉପରେ ଥିବା ଚାଳିକୁ ମରାମତି ଆରମ୍ଭ କରିଥିଲା ଏଏସ୍ଆଇ। ମୋଟ ୫ଟି ଷ୍ଟିଲ୍ ବିମ୍ ଦେଇ ତାକୁ ମରାମତି କରିଥିଲା। ଆଜି ଏହି ମରାମତି କାମ ସରିଛି। ୫ଟି ବିମ୍ ଲାଗିବା ପରେ ସିଂହଦ୍ବାର ଗୁମୁଟ ବି ସୁରକ୍ଷିତ ହୋଇଯାଇଛି। ମରାମତି ସରିବା ପରେ ସିଂହଦ୍ବାର ଉପରୁ ଅସ୍ଥାୟୀ ସୁରକ୍ଷାକୁ ହଟାଇ ଦିଆଯାଇଛି। ୭ ବର୍ଷ ପରେ ସିଂହଦ୍ବାର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ଏଏସ୍ଆଇର ବରିଷ୍ଠ ଅଧିକାରୀ ସିଆର୍ ଦାସ। ଆଜି ମରାମତି ସରିଥିବା ସେ କହିଛନ୍ତି।