Odisha Latest Breaking News & Current Headlines

ଠିକ ଅଧ ଘଣ୍ଟା ପୂର୍ବରୁ ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ l

0

ଆମଭାରତ 4/3 : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟର ଅଧ ଘଣ୍ଟାଏ ପୂର୍ବରୁ ଉଠିଛି ମହାଦୀପ। ଲକ୍ଷାଧିକ ଭକ୍ତ ମହାଦୀପ ଦର୍ଶନ କରି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଥିଲେ। ପୁରୀର ଶ୍ରୀଶ୍ରୀ ଲୋକନାଥଙ୍କ ପୀଠରେ ଭୋର୍‌ ୪ଟାରେ ଓ ବାବା ଆଖଣ୍ଡଳମଣିରେ ଭୋର ୫ଟାରେ ମହାଦୀପ ଉଠିବ ବୋଲି ଜଣାପଡ଼ିଛି।

ପୁରୀର ଶ୍ରୀଲୋକନାଥ ପୀଠରେ ଜାଗର ଯାତ୍ରା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ଏଠି ମଧ୍ୟ ଠାକୁରଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଠାରେ ଭୋର ୪ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଛି।


ସେହିପରି କଟକର ଧବଳେଶ୍ୱର ପୀଠ ଶିବମୟ ହୋଇ ପଡ଼ିଛି। ଏଠି ରାତି ଗୋଟାଏରେ ଉଠିବ ମହାଦୀପ। ଭିଡ଼କୁ ଦୃଷ୍ଟିରେ ରଖି ଝୁଲାପୋଲଠୁ ମନ୍ଦିର ବେଢ଼ା, ନଦୀଘାଟ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିଛି।ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ଢେଙ୍କାନାଳର କପିଳାସ ପୀଠ। ବାବା ଚନ୍ଦ୍ରଶେଖରଙ୍କ ଜାଗର ନୀତି ସହ ହରିହର ଭେଟ ସମ୍ପନ୍ନ ହେବା ପରେ ଭୋର ୪ଟାରେ ଉଠିବ ମହାଦୀପ।
ଭଦ୍ରକ ଜିଲ୍ଲାର ଆରଡ଼ିରେ ଶିବରାତ୍ରୀ ପାଇଁ ହୋଇଛି ବ୍ୟାପକ ଆୟୋଜନ। ଆଜି ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ପରେ ରାତି ଗୋଟାଏ ବେଳେ ବାବା ଆଖଣ୍ଡଳମଣିଙ୍କର ଅନୁଷ୍ଠିତ ହେବ ସୁନାବେଶ। ଉଭୟ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାରେ ଅଛନ୍ତି ଭକ୍ତ। ରାତି ସାଢ଼େ ୪ଟାରୁ ୫ଟା ଭିତରେ ମହାଦୀପ ଉଠିବ।

ସେପଟେ ନୟାଗଡ଼ ଜିଲ୍ଲାର ଲଡୁବାବା ପୀଠରେ ମଧ୍ୟ ଠାକୁର ଦର୍ଶନ ସାଙ୍ଗକୁ ମହାଦୀପ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ଶୈବପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର, ବଲାଙ୍ଗିରର ହରିଶଙ୍କର ଓ କଳାହାଣ୍ଡିର ବେଲଖଣ୍ଡି ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି।

Leave A Reply

Your email address will not be published.