ଆମଭାରତ 11/3 { ଭୁବନେଶ୍ୱର }: ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକଙ୍କୁ ଗଢ଼ି ତୋଳିଥିବା ରାଜ୍ୟର ଏହି ପୁରାତନ ଶିକ୍ଷାନୁଷ୍ଠାନ ଛାତ୍ରାବାସରେ ଏବେ ଚାଲିଛି ମଦର ଆସର। ଜୁଆ ଆଡ଼ା ବି ଜମୁଛି। ବ୍ରାଉନ୍ ସୁଗାର ବେପାର ହେଉଛି। ଆଜି ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ମିଳିତ ଚଢ଼ଉ ବେଳେ ୭ ନମ୍ବର ଛାତ୍ରାବାସରୁ ମିଳିଛି ଏଭଳି କିଛି ଆପତ୍ତିଜନକ ସାମଗ୍ରୀ। ହଷ୍ଟେଲରୁ ୫୦୦ରୁ ଅଧିକ ମଦ ବୋତଲ, ଜୁଆ ଖେଳିବା ସାମଗ୍ରୀ, ଚରସ, ଗଞ୍ଜେଇ, ସିଗାରେଟ୍ ଜବତ କରାଯିବା ସହ ଏଠାରେ ରହୁଥିବା ୪୫୦ ଅଣଛାତ୍ରଙ୍କୁ ତଡ଼ା ଯାଇଛି। ଦୀର୍ଘ ଅଢ଼େଇ ବର୍ଷ ତଳେ ୭ ନମ୍ବର ହଷ୍ଟେଲ ଉଦ୍ଘାଟନ ହେବା ପରେ ଏହାକୁ ଅଣଛାତ୍ରମାନେ କବ୍ଜା କରି ନେଇଥିଲେ। ସେଠାରେ ଆଡ଼ା ଜମାଇବା ସହ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ବି ଏକଥା ଜଣାଥିଲା। ହେଲେ ସେମାନଙ୍କୁ ହଟାଇବାକୁ ସାହସ ଜୁଟାଇ ପାରୁ ନଥିଲେ। ଏପରିକି ବହୁ ଥର ଉଦ୍ୟମ କରିବା ପରେ ବି ରାଜନୈତିକ ଚାପରେ ବିଶ୍ବବିଦ୍ୟାଳୟ ଅଧିକାରୀଙ୍କୁ ପଛଘୁଞ୍ଚା ଦେବାକୁ ହେଉଥିଲା। ଏପରିକି ୪ ଦିନ ତଳେ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ହଷ୍ଟେଲ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ଉପରେ ଢ଼େଲା ମାଡ଼ ବି ହୋଇଥିଲା। ହଷ୍ଟେଲକୁ ସଂଯୋଗ ହୋଇଥିବା ପାଣି ଓ ବିଦ୍ୟୁତ୍ କାଟିବାକୁ ବି ପ୍ରୟାସ କରି ବିଫଳ ହୋଇଥିଲେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ।