Odisha Latest Breaking News & Current Headlines

ବିଜେପିରେ ଦାମଙ୍କ ଯୋଗଦେବା ନେଇ ଚର୍ଚ୍ଚା ।

0

ଆମଭାରତ   ( ଭୁବନେଶ୍ୱର ) ୧୦/୩ : ବିଜେପିରେ ବୈଜୟନ୍ତ ପଣ୍ଡା ଯୋଗ ଦେବା ପରେ ଏବେ ଦାମ ରାଉତଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଜେପିରେ ଯୋଗଦେବା ନେଇ ଇସାରା ଇସାରାରେ ଦାମ କହିଛନ୍ତି, କଂଗ୍ରେସ କିମ୍ବା ବିଜେପିରେ ସେ ଯୋଗ ଦେଇପାରନ୍ତି । ସେଥିପାଇଁ ପ୍ରସ୍ତାବ ଆସିଲେ, ସେ ବିଚାର କରିବେ। ନବୀନଙ୍କ ବିରୋଧରେ ନୂଆ ଦଳ ଗଢ଼ିବା ପାଇଁ ସେ ଉଦ୍ୟମ କରିଥିଲେ । ତାହା ସମ୍ଭବ ହୋଇପାରିଲା ନାହିଁ । ତେଣୁ ଯେକୌଣସି ଦଳରେ ମିଶିବା ପାଇଁ ଦାମ ଇସାରା ଦେଇଛନ୍ତି।ସେପଟେ ଦାମଙ୍କ ଏଭଳି ପ୍ରତିକ୍ରିୟା ତାଙ୍କ ସମର୍ଥକଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ ବର୍ତ୍ତମାନ ଦାମ ଦିଲ୍ଲୀ ଗସ୍ତରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି  ଏବଂ ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମ ରାଉତ ନବୀନଙ୍କ ବିରୋଧରେ ଆଗାମୀ ନିର୍ବାଚନ ପାଇଁ ହଲ୍ଲାବୋଲ ଦେଇଛନ୍ତି । ଶାସକ ବିଜେଡିକୁ ଆସନ୍ତା ନିର୍ବାଚନରେ ମାତ ଦେବା ପାଇଁ ପ୍ରଥମେ ବୈଜୟନ୍ତ ଏବେ ଦାମଙ୍କୁ ଦଳରେ ମିଶାଇ ଏହାର ଫାଇଦା ନେବାକୁ ଦିଲ୍ଲୀ ଦରବାରରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି ବୋଲି ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି ।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ବିଜେପିରେ ଦାମଙ୍କ ଯୋଗଦେବା ନେଇ ଚର୍ଚ୍ଚା ରାଜ୍ୟ ରାଜନୀତିର ପାରଦକୁ ଉଷ୍ମ କରିଛି । ଗତ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ଶାସକ ବିଜେଡି ସାମ୍ନାରେ ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ଏଥର ବିଜୟ ତିଳକ ପିନ୍ଧିବାକୁ ଭରପୁର ଉଦ୍ୟମ ଜାରି ରଖିଛି ।ତେଣୁ ବିଜେଡି ସାମ୍ନାରେ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଥିବା ଗୋଟିଏ ପରେ ଗୋଟିଏ ଅସନ୍ତୁଷ୍ଟିଆ ନେତାଙ୍କୁ ପଦ୍ମ ଧରାଇବାକୁ ରଣନୀତି କରୁଛି ବିଜେପି। ଯଦି ଚର୍ଚ୍ଚା ମୁତାବକ ଦାମ ପଦ୍ମ ପୋଖରୀରେ ବୁଡ଼ ଦିଅନ୍ତି ତେବେ ଆଗାମୀ ସାଧାରଣ ନିର୍ବାଚନୀ ମୈଦାନରେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.