Odisha Latest Breaking News & Current Headlines

ଆଜିଠୁ ଖଣ୍ଡଗିରି କୁମ୍ଭମେଳା l

0

ଆମଭାରତ ( ଖଣ୍ଡଗିରି ) : ପବିତ୍ର ମାଘ ସପ୍ତମୀ ଅବସରରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ମହାକୁମ୍ଭ ‌ମେଳା। ଶହ ଶହ ସଂଖ୍ୟାରେ ଏକାଠି ହେ‌େବ ସାଧୁସନ୍ଥ। ଓଡ଼ିଶା ସମେତ ଉତ୍ତର ଭାରତର କାଶୀ ଓ ବାରଣାସୀରୁ ବହୁ ସାଧୁସନ୍ୟାସୀଙ୍କୁ ଏଠାରେ ଦର୍ଶନ କରିବାର ସୁଯୋଗ ମିଳିବ। ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାହାଡ଼ରେ ଗୁଞ୍ଜରିତ ହେବ ରାମ ଚରିତ ମାନସ ଓ ବିଶ୍ବଶାନ୍ତି ମହାଯଜ୍ଞର ମନ୍ତ୍ର ଧ୍ବନି। ତପ ସାଧନରେ ବ୍ରତୀ ସାଧୁସନ୍ଥମାନଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଖଣ୍ଡଗିରି। ପାହାଡ଼ ଉପରେ ସାଧୁସନ୍ଥମାନେ ନିଜ ନିଜର ଅସ୍ଥାୟୀ ଆଶ୍ରମ ନିର୍ମାଣ କରି ସାରିଥିବାବେଳେ ପାହାଡ଼ ତଳେ ମେଳା ପାଇଁ ମୀନା ବଜାର, ଯାତ୍ରା ପେଣ୍ଡାଲ ଓ ଦୋକାନ ବଜାର ପ୍ରସ୍ତୁତ ହୋଇ ସାରିଛି।ମେଳା ପାଇଁ ସବୁ ସ୍ତରରେ ପ୍ରସ୍ତୁତି ସରିଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ‌ବ୍ୟବସାୟୀମାନଙ୍କୁ ମେଳା ପାଇଁ ପ୍ଲଟ ଯୋଗାଇ ଦିଆଯାଇଛି। ସେହିଭଳି ଯାତ୍ରୀମାନଙ୍କ ସୁବିଧା ପାଇଁ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୪ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ ରହିବେ। ସେହିପରି ମେଳା ୨୦ଟି ସିସିଟିଭିର ନଜରରେ ରହିବ। ଖଣ୍ଡଗିରି ଥାନା ପକ୍ଷରୁ ପାହାଡ଼ ତଳେ ‌ମେଳା ବଜାରରେ ଏକ ଅସ୍ଥାୟୀ ଫାଣ୍ଡି ବା ପୁଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା ଖୋଲାଯିବ। ଏହା ଦିନ ତମାମ୍ ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ। ସେହିଭଳି ସ୍ଥାନୀୟ କଳିଙ୍ଗ ଗ୍ରାମ୍ୟ ଉନ୍ନୟନ ସଂଘ ପକ୍ଷରୁ ପ୍ରାୟ ୫୦ ଜଣ ସ୍ବେଚ୍ଛାସେବୀ ମେଳା ବୁଲିବାକୁ ଆସୁଥିବା ଦର୍ଶକଙ୍କୁ ସହଯୋଗ କରି‌ବେ।ଖଣ୍ଡଗିରି ପାହାଡ଼ର ମା ବାରଭୂଜା ଠାକୁରାଣୀ ଓ ଉଦୟଗିରିର ଠାକୁର ଅନନ୍ତକେଶରୀଙ୍କ ପୂଜା ବିଧି ମଧ୍ୟ ଏହି ମେଳା ସହ କାହିଁ କେଉଁ କାଳରୁ ଜଡ଼ିତ ହୋଇ ରହିଛି। ଏବେ ପ୍ରଭୁ ଅନନ୍ତ କେଶରୀ ଜାଗମରା ଗ୍ରାମସ୍ଥିତ ନାଗା ମଠରେ ଅବସ୍ଥାନ କରୁଥିଲେ ମଧ୍ୟ, ମାଘ ସପ୍ତମୀ ରାତିରେ ସେ ଉଦୟଗିରି ପାହାଡ଼ସ୍ଥିତ ରାଣୀ ହଂସପୁରକୁ ଯାତ୍ରା କରିବା‌ର ବିଧି ରହିଛି। ବିଧି ଅନୁସାରେ ସନ୍ଧ୍ୟାରେ ଠାକୁର ଅନନ୍ତକେଶରୀ ରାଣୀ ହଂସପୁରକୁ ଯାତ୍ରା କରିବେ ଓ କିଛି ସମୟର ରହଣି ପରେ ପୁଣି ସେହି ବିଳମ୍ବିତ ରାତିରେ ନିଜ ମଠକୁ ଫେରି ଆସିବା ପ୍ରଥା ରହିଛି।
ପୁରାଣ ବର୍ଣ୍ଣନା ଅନୁସାରେ ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗା କୋଣାର୍କରେ ବୁଡ଼ ପକାଇଲେ କୋଟି ପୁଣ୍ୟ ମିଳିଥାଏ। ନିୟମାନୁସାରେ ଚନ୍ଦ୍ରଭାଗା ବୁଡ଼ ପରେ ଖଣ୍ଡଗିରିରେ ସୂର୍ଯ୍ୟ ଆରାଧନା କଲେ ଏହି ବ୍ରତ ପୂରଣ ହୋଇଥାଏ। ଆରାଧନା ସହ ସୂର୍ଯ୍ୟଙ୍କୁ ଖଣ୍ଡଖିରି ପ୍ରସାଦ ଲାଗି କଲେ ତପ ପୂର୍ଣାଙ୍ଗ ହୁଏ ବୋଲି ବିଶ୍ବାସ ରହିଛି। ତେଣୁ କୁହାଯାଏ ସାଧୁସନ୍ଥମାନେ ଚନ୍ଦ୍ରଭାଗା‌ରେ ବୁଡ଼ ପକାଇବା ପରେ ଖଣ୍ଡଗିରିକୁ ତପ ସାଧନ ପାଇଁ ଆସିଥାଆନ୍ତି। ସେହି ସାଧୁସନ୍ଥମାନଙ୍କ ଦର୍ଶନ ଓ ସେବା କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥାଏ। ଏହା ହିଁ ମେଳାର ଉଦ୍ଦେଶ୍ୟ। ଆଜି ବି ଖଣ୍ଡଗିରି ଆଖପାଖ ଗାଁ ମାନଙ୍କରେ ରହିଛି ବହୁ ପ୍ରାଚୀନ ମଠ। କୁହାଯାଏ ମେଳାକୁ ଆସୁଥିବା ସାଧୁସନ୍ଥମାନଙ୍କୁ ଏହି ମଠରେ ଅବସ୍ଥାନ କରାଇ ଲୋକେ ସେମାନଙ୍କ ସେବା କରିବାର ସୁଯୋଗ ପାଉଥିଲେ।

Leave A Reply

Your email address will not be published.