‘ପିଏମ-କିଷାନ’ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି।

ଆମଭାରତ ( ଭୁବନେଶ୍ୱର ): କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ରୋକଠୋକ୍ ମନା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗରିବ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ‘ପିଏମ୍-କିଷାନ’ ଯୋଜନାରେ ଏବେ କେଁ ପୁରାଇଛନ୍ତି। ଏହି କେନ୍ଦ୍ରୀୟ ଯୋଜନାରେ ଭୂମିହୀନ ଶ୍ରମିକ, ଭାଗଚାଷୀ ଓ ସମ୍ବେଦନଶୀଳ ଚାଷୀ ପରିବାରକୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଶ୍ରୀ ପଟ୍ଟନାୟକ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ପରୋକ୍ଷରେ ରାଜ୍ୟର ଗରିବ ଚାଷୀଙ୍କୁ ତ୍ୱରିତ୍ କେନ୍ଦ୍ରୀୟ ସହାୟତା ମିଳିବାରେ ପ୍ରତିବନ୍ଧକ ସୃଷ୍ଟି କରିବ। ଅନ୍ୟ ଅର୍ଥରେ କହିବାକୁ ଗଲେ ସବୁ ବର୍ଗର ଚାଷୀଙ୍କୁ ସାମିଲ କରାଯାଇନଥିବାର ଆଳ ଦେଖାଇ ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେବେନି। ଯଦିଓ ‘କାଳିଆ’ ଯୋଜନାରେ ହିତାଧିକାରୀ ଚୟନ କାର୍ଯ୍ୟ ରାଜ୍ୟ ସରକାର ଶେଷ କରିସାରିଛନ୍ତି।କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଚଳିତମାସ ୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଫେବୃୟାରୀ ୨୫ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀ ଚୟନ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ନିମନ୍ତେ ଅନୁରୋଧ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଚାଷୀଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ‘କାଳିଆ’ ଯୋଜନାର ଗୁଣଗାନ କରିଛନ୍ତି। ରାଜ୍ୟର ୯୨ ପ୍ରତିଶତ ଚାଷୀ, ଭାଗ ଚାଷୀ, ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। କୌଣସି ଜଣେ ବି ଯୋଗ୍ୟ ଚାଷୀ ଯେଭଳି ‘କାଳିଆ’ ଯୋଜନ ସହାୟତା ପାଇବାରୁ ବଞ୍ଚିତ ନହେବେ ସେଥିପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି। ତେଣୁ କେନ୍ଦ୍ରୀୟ ଯୋଜନା ‘ପିଏମ-କିଷାନ’ରେ ଭୂମିହୀନ ଶ୍ରମିକ, ଭାଗ ଚାଷୀ ଓ ସମ୍ବେଦନଶୀଳ ଚାଷୀ ପରିବାରକୁ ସାମିଲ କରିବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ପିଏମ-କିଷାନ ଯୋଜନାରେ ଶତପ୍ରତିଶତ ଅର୍ଥ ବହନ କେନ୍ଦ୍ର ସରକାର କରିବେ ଓ ବାର୍ଷିକ ୩ଟି କିସ୍ତିରେ ୨ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ଏହି ୬ହଜାର ଟଙ୍କା ପ୍ରଦାନ କରିବେ। ଏହି ଯୋଜନା ପିଛିଲା ଭାବେ ୨୦୧୮ ଡିସେମ୍ବର ୧ରୁ ଆରମ୍ଭ ହୋଇଛି ଓ ପ୍ରଥମ ପର୍ଯ୍ୟାୟ କିସ୍ତି ସହାୟତା(୨ହଜାର ଟଙ୍କା)କୁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି।

ତେବେ ନବୀନ ନିର୍ବାଚନୀ ବର୍ଷରେ ନିଜର ‘କାଳିଆ’ ଯୋଜନାରୁ ସମ୍ପୂର୍ଣ୍ଣ ରାଜନୀତିକ ଫାଇଦା ହାତେଇବାକୁ ଚାହୁଁଥିବାରୁ ‘ପିଏମ୍-କିଷାନ’ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାରେ ଜାଣିଶୁଣି ବିଳମ୍ବ କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *