ଋଷି କୁମାର ଶୁକ୍ଳାଙ୍କୁ ସିବିଆଇର ନୂଆ ନିର୍ଦେଶକ l

ଆମଭାରତ { ନୂଆଦିଲ୍ଲୀ } : ଋଷି କୁମାର ଶୁକ୍ଳାଙ୍କୁ ସିବିଆଇର ନୂଆ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଋଷି କୁମାର ହେଉଛନ୍ତି ୧୯୮୩ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ। ସେ ମଧ୍ୟପ୍ରଦେଶ ପୁଲିସ୍‍ ମହାନିର୍ଦେଶକ (ଡିଜିପି) ଭାବେ କାର୍ଯ୍ୟ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ୩ ଜଣିଆ ଚୟନ କମିଟିର ଦ୍ୱିତୀୟ ବୈଠକ ହୋଇଥିଲା। କୁହାଯାଉଥିଲା ଏହି ବୈଠକରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଯୁକ୍ତି ନେଇ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଶନିବାର କ୍ୟାବିନେଟ୍‍ ନିଯୁକ୍ତି କମିଟି ଶୁକ୍ଳାଙ୍କ ନାମକୁ ମଞ୍ଜୁରୀ ଦେଇଥିଲା। ଏହି କ୍ରମରେ ସିଧାସଳଖ ଭାବେ ଶୁକ୍ଳାଙ୍କୁ ସିବିଆଇର ନୂଆ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ୨ ବର୍ଷ ପାଇଁ ସିବିଆଇ ନିର୍ଦେଶକ ରହିବେ।
ଋଷି କୁମାର ଶୁକ୍ଳା ମୂଳତଃ ଗ୍ୱାଲିୟର ବାସିନ୍ଦା। ତାଙ୍କ ଚାକିରି ଜୀବନର ପ୍ରଥମ ପୋଷ୍ଟିଂ ରାୟପୁର ସିଏସ୍‍ପି ଭାବେ ହୋଇଥିଲା। ଏହାପରେ ସେ ଦମୋହ, ଶିବପୁରୀ ଏବଂ ମାନ୍ଦାସୋର ଏସ୍‍ପି ଭାବେ କାର୍ଯ୍ୟ କରିିଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ଗୁଇନ୍ଦା ବିଭାଗ ଏଡିଜି ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୧୬ ଜୁଲାଇରୁ ୨୦୧୯ ଜାନୁଆରୀ ପର୍ଯ୍ୟନ୍ତ ସେ ମଧ୍ୟପ୍ରଦେଶରେ ଡିଜିପି ଥିଲେ। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିବା ପରେ ତାଙ୍କୁ ରାଜ୍ୟ ପୁଲିସ୍‍ ହାଉସିଂ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା।
ସୂଚନା ଅନୁସାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩ ଜଣିଆ ଚୟନ କମିଟି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଏହି ବୈଠକରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତଥିଲେ। ଏହି ପଦ ପାଇଁ କେନ୍ଦ୍ର ପକ୍ଷରୁ ଜାଭେଦ ଅହମଦ, ରଜନୀକାନ୍ତ ମିଶ୍ରା, ଏସ୍‍ଏସ୍‍ ଦେସୱାଲ, ଶିବାନନ୍ଦ ଝାଙ୍କ ନାମ ରଖାଯାଇଥିଲା। କିନ୍ତୁ କଂଗ୍ରେସ ନେତା ଖଡଗେ ପ୍ରତିବାଦ ଜଣାଇଥିଲେ। ବୈଠକ ବିନା ନିଷ୍ପତ୍ତିରେ ଶେଷ ହୋଇଥିଲା। ଏହା ପୂର୍ବରୁ ୨୪ ଜାନୁଆରୀରେ ଅନୁଷ୍ଠିତ ବୈଠକରେ ବି କୌଣସି ନିଷ୍ପତ୍ତି ହୋଇପାରିନଥିଲା।

Leave a Reply

Your email address will not be published. Required fields are marked *