ଭୁବନେଶ୍ୱର ( ଆମ ଭାରତ ) : ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ୱର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ୬୩ ପ୍ରତିଶତରୁ ଅଧିକ ଅଟେ। ଏଥିପାଇଁ ଆଜି ଦୁଇ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କୋଭିଡ ପରିଚାଳନା ଟିମ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହିତ କୋଭିଡ ପରିଚାଳନାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଜିଲ୍ଲା ପାଇଁ ୧୫ କୋଟି ଲେଖାଏ ସମୁଦାୟ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏହା ସହିତ, ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି ।
କୋଭିଡ ପରିସ୍ଥିତିରେ ଡାକ୍ତର ମାନଙ୍କ ଗୁରୁ ଦାୟିତ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି OHMS କ୍ୟାଡରର ଡାକ୍ତର ମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ଏହାସହିତ Labour & ESI ବିଭାଗରେ କାମ କରୁଥିବା Insurance Medical Officer ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।
କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା କୋଭିଡ ଯୋଦ୍ଧା ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ କଟକ SCBକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦନ ହଜାର ହଜାର ଲୋକ ଆସୁଥିବାରୁ ଏଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଭୁବନେଶ୍ୱରରେ ଆଦିତ୍ୟ-ଅଶ୍ୱିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ଆଇସିୟୁ ସହିତ ୧୫୦ ଶଯ୍ୟା ବିଶିଷ୍ଟ Dedicated Covid Hospital ପ୍ରତିଷ୍ଠା କରାଯିବ।
ନୀଳାଚଳ ଡାକ୍ତରଖାନାରେ ୧୫ଟି ICU ସହିତ ୧୨୬ ଶଯ୍ୟା ବିଶିଷ୍ଟ Dedicated Covid Hospital ଚଳିତ ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ।
ଭୁବନେଶ୍ୱରର ତିନି ବିଧାୟକଙ୍କ ସକ୍ରିୟ ସହଯୋଗ ଏବଂ ଭୁବନେଶ୍ୱର ବିଭିନ୍ନ ଧାର୍ମିକ, ସାମାଜିକ ଅନୁଷ୍ଠାନ, NGO ଓ ଆବାସିକ କଲ୍ୟାଣ ସଂସ୍ଥା ଗୁଡିକ ଦ୍ୱାରା ଭୁବନେଶ୍ୱରରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍ ଖୁବ ଶୀଘ୍ର ସ୍ଥାପନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଆଗେଇ ଆସିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
ଭୁବନେଶ୍ୱରର ବସ୍ତିମାନଙ୍କରେ କୋଭିଡ ସଂକ୍ରମଣ ରୋକିବା ଉପରେ ଫୋକସ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବସ୍ତି କମିଟି ଗୁଡିକ ଏ ଦିଗରେ ଭଲ କାମ କରୁଥିବାକୁ BMC ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କଟକସ୍ଥିତ Molecular Genome Labର up-gradation କରାଯିବ। ଏହାଦ୍ୱାରା କୋଭିଡ-୧୯ ରୋଗୀମାନଙ୍କୁ ଫଳପ୍ରଦ ଚିକିତ୍ସା ଯୋଗାଇ ଦିଆଯାଇପାରିବ। । ଆଲୋଚନାରେ ଅଂଶଗ୍ରହଣ କରି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ surveillance, home isolation ଆଦି ଉପରେ ଜୋର ଦେବା ସହ ଗୁଟ୍କାର ବ୍ୟବହାର କଡାକଡି ଭାବରେ ନିଷିଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ । ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କୋଭିଡ ଚିକିତ୍ସା ପାଇଁ Exclusive Covid Hospital, ଅଧିକ ଶଯ୍ୟା ଓ ICU ଉପରେ ଗୁରୁତ୍ୱ ଦେଇଥିଲେ। ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କୋଭିଡ ସଚେତନତା ଅଭିଯାନରେ ଥିବା ବ୍ୟକ୍ତିମାନଙ୍କ Insurance coverage ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ଲାଜ୍ମା ଥେରାପି ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ଏଥିପାଇଁ ଏକ protocolର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଆଜି ୩ ଜଣ ଗୁରୁତର କୋଭିଡ ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଦିଆଯିବା ବିଷୟରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ। ରାଜ୍ୟର ସବୁ ଜିଲ୍ଲାରେ ସୁସ୍ଥ ହୋଇଥିବା କୋଭିଡ ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ପାଇଁ ମାନସିକ ରୋଗ ଚିକିତ୍ସକଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଥିଲେ।
କଟକ SCBରେ outdoor patient ମାନଙ୍କ ସୁବିଧା ପାଇଁ ଅଧିକ ଅସ୍ଥୟୀ OPD ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ଥିବା ପର୍ଯ୍ୟବେକ୍ଷକ ମାନେ ଏବଂ ଜିଲ୍ଲାପାଳ ଦ୍ୱୟ ସେମାନଙ୍କ ଜିଲ୍ଲାର କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ।