ଆମଭାରତ ( ଭୁବନେଶ୍ୱର ) ୧୬/୪ : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ ଦିନ ତଳେ ବିଜେଡିର ଗୁଣ୍ଡାଲୋକ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି।
ବିଜେପି ସରକାର ଆସିଲେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। ଓଡ଼ିଶାରୁ ଗୁଣ୍ଡାରାଜ ଦୂର କରିବା ପାଇଁ ଆମେ ବଦ୍ଧ ପରିକର। ମୋଦି ଅଛି, ତେଣୁ ବିଜେଡି ଗୁଣ୍ଡାଙ୍କୁ ଡରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।
ସଭା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ଏକ ବିଶାଳ ରୋଡ୍ ଶୋ’ କରିଥିଲେ। ବିମାନବନ୍ଦରରୁ ବରମୁଣ୍ଡା ପର୍ଯ୍ୟନ୍ତ ଏହି ରୋଡ୍ ଶୋ ହୋଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।
ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ-“ରୋଡ୍ ଶୋ’ରେ ଓଡ଼ିଶାର ମହାନ ପରମ୍ପରାର ଝଲକ ଦେଖିଛି। ରାସ୍ତାରେ ଯୁବକ, ଯୁବତୀ, ପିଲା ଓ ବୟସ୍କଙ୍କୁ ଭେଟିଲି। ସେମାନଙ୍କ ସହ ଭେଟ ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ। ଭୁବନେଶ୍ୱର ହେଉଛି ବୀର ଓ ବିଦ୍ୱାନଙ୍କ ଭୂମି। ଓଡ଼ିଶା ଲୋକଙ୍କୁ ଦେଖିଲା ପରେ ସେମାନଙ୍କ ମନ ବୁଝି ହେଉଛି। ସେମାନେ ଏଠାରେ ବିଜେପି ସରକାର ଗଢ଼ିବାକୁ ସ୍ଥିର କରିସାରିଲେଣି। ବିକାଶ ପାଇଁ ସେମାନେ ଡବଲ ଇଂଜିନର ଆବଶ୍ୟକତା ରହିଛି ବୋଲି ବୁଝି ସାରିଲେଣି। କିଛି ଲୋକଙ୍କୁ ବିକାଶର ଡବଲ ଇଂଜିନ କଥା ଶୁଣିଲେ ଭାରି କଷ୍ଟ ହେଉଛି। ସେମାନଙ୍କୁ ଡବଲ ଇଂଜିନ ଅସମ୍ଭବ ଲାଗୁଛି। କିନ୍ତୁ ଓଡ଼ିଶା ଲୋକ ଡବଲ ଇଂଜିନକୁ ସଫଳ ହିଁ କରିବେ।”
ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏଠାକାର ସରକାର ବଦଳାଇବାକୁ ଆହ୍ୱାନ ଦେଇଥିଲେ। ୧୯ବର୍ଷ ଭିତରେ ଖୋଦ୍ ରାଜଧାନୀ ଭୁବନେଶ୍ୱରର ଆଖିଦୃଶିଆ ବିକାଶ ହୋଇନଥିବା କହିଥିଲେ ପ୍ରଧାନମନ୍ତ୍ରୀ। ଏହାଛଡ଼ା ପିସି ପାଇଁ ଓଡ଼ିଶାର ବିକାଶକୁ ବିଜେଡି ସରକାର ରୋକି ଦେଇଥିବା କହିବା ସହ ବିଜେଡି ସରକାର କିଛି ଲୋକଙ୍କୁ ଧରି କୋଟେରୀରେ ଚାଲିଛି ବୋଲି କହିଥିଲେ ମୋଦି। ଏହାଛଡ଼ା ଆହୁରି ବିଭିନ୍ନ ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଥିଲେ।
ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ସୁଫଳ ମିଳୁନାହିଁ। ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଏଠାରେ ବି ଲାଗୁ ହେବ। ଓଡ଼ିଶାର ୫୦ ଲକ୍ଷ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଜମା କରାଯାଉଛି। ଏବେ ସାଢେ ୮ଲକ୍ଷ ଚାଷୀଙ୍କ ଖାତାକୁ କେନ୍ଦ୍ର ଟଙ୍କା ଦେଇସାରିଲାଣି। ହେଲେ ଏଠାର ବାବୁଲୋଗ ଓ ମୁଖ୍ୟମନ୍ତ୍ରୀ ଛୋଟ କାମଟିଏ କରିପାରୁ ନାହାନ୍ତି। ୩/୪ ମାସ ହେଲାଣି ଚାଷୀଙ୍କ ତାଲିକା ଦେଇପାରୁନାହାନ୍ତି। ବିଜେଡି ପ୍ରଚାର କରୁଛି, ସରକାରକୁ ଆସିଲେ ଆମେ ସବୁ କଲ୍ୟାଣକାରୀ ଯୋଜନା ବନ୍ଦ କରିଦେବୁ। ମୋଦି ଲେଖିକି ଦେଉଛି, ଆମେ ଯୋଜନା ନୁହେଁ, ଭ୍ରଷ୍ଟାଚାର ବନ୍ଦ କରୁ। ପରାଜୟ ଡରରେ ଏମାନେ ମିଛ ପ୍ରଚାର କରୁଛନ୍ତି। ଥରେ ଆମକୁ ମୌକା ଦିଅନ୍ତୁ। ଏମାନଙ୍କୁ ରାସ୍ତାକୁ ନେଇଆସିବୁ।”