ଆମଭାରତ( ଖୋର୍ଦ୍ଧା ) ୧୬|୪: ଖୋର୍ଦ୍ଧା ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବି କେ ଶର୍ମା ସୂଚନା ଦେଇଛନ୍ତି । ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ସହ ସାଇବର୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାର ତଦନ୍ତ ଅଧିକାରୀ ଭାବେ ଡିଏସପି ପ୍ରମୋଦ ରଥଙ୍କୁ ଦାୟିତ୍ବ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଟିମ୍ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହେବ ବୋଲି ଡିଜିପି ବି କେ ଶର୍ମା ଆଶା ପ୍ରକାଶ କରିଛନ୍ତି ।
ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ତଥା ବଡ଼ପୋଖରିଆର ପୂର୍ବତନ ସରପଂଚ ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ ଗୁଳି କରି ହତ୍ୟା କରାଯାଇଥିଲା । ଖୋର୍ଦ୍ଧା ନବୀନବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ମଙ୍ଗୁଳିଙ୍କୁ ଗୁଳି କରି ଚାଲିଯାଇଥିଲେ । ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା । ସୋମବାର ଦିନ ବିଜେପି ନେତା ଓ କର୍ମୀମାନେ ଖୋର୍ଦ୍ଧା ପୋଲିସ ଷ୍ଟେସନ ଆଗରେ ଧାରଣାରେ ବସିଥିଲେ । ୬ଘଣ୍ଟା ଧରି ଖୋର୍ଦ୍ଧା ବନ୍ଦ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ଉଦବେଗ ପ୍ରକାଶ କରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାଲାଗି ନିର୍ବାଚନ ଆୟୋଗଙ୍କୁ ଅପିଲ କରିଥିଲେ ।କ୍ରାଇମବ୍ରାଞ୍ଚ ଟିମ୍ ୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।କ୍ରାଇମବ୍ରାଞ୍ଚ ସହ ସାଇବର୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଘଟଣାର ତଦନ୍ତ ଅଧିକାରୀ ଭାବେ ଡିଏସପି ପ୍ରମୋଦ ରଥଙ୍କୁ ଦାୟିତ୍ବ ଦିଆଯାଇଥିଲା ।