ଆମଭାରତ ( ଭୁବନେଶ୍ୱର ) 6/ 4 : ରାଜ୍ୟ ରାଜନୀତିରେ ବରିଷ୍ଠ ଓ ଅଭିଜ୍ଞ ନେତା ଦାମ ରାଉତଙ୍କ ପରିବାରର ତିନି ସଦସ୍ୟ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ଦାମଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଦଳରେ କାର୍ଯ୍ୟକରି ଆସିଛନ୍ତି । ତେଣୁ ବିଜେଡି ଚଳିତ ନିର୍ବାଚନରେ ତାଙ୍କୁ ପାରାଦୀପ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି । ସମ୍ବିତ ପାରାଦୀପରେ ନିଜର ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି । ସେହିପରି ବରିଷ୍ଠ ନେତା ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ କିଛିଦିନ ତଳେ ବିଜେଡିରୁ ଇସ୍ତଫା ଦେଇ ଭୁବନେଶ୍ବର –ଉତ୍ତର ବିଧାନସଭା କ୍ଷେତ୍ର ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିଜେପି ଦାମ ରାଉତଙ୍କୁ ଦଳ ବାଲିକୁଦା-ଏରସମା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି । ଦାମ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି ।
ବାଲିକୁଦା ଏରସମାରୁ ଦାମ ରାଉତ ବିଜେପିରୁ ନିର୍ବାଚନ ଲଢ଼ୁଥିଲା ବେଳେ ଝିଅ ପ୍ରୀତିନନ୍ଦା ଭୁବନେଶ୍ବର –ଉତ୍ତରରୁ ସ୍ବାଧୀନ ଭାବେ ରାଜନୀତି ମୈଦାନରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି, ସେତେବେଳେ ଦାମଙ୍କ ରାଜନୈତିକ ଗଡ କୁହାଯାଉଥିବା ପାରାଦୀପରୁ ସମ୍ବିତ ରାଉତରାୟଙ୍କୁ ବିଜେଡି ଏହି ଆସନରେ ପ୍ରାର୍ଥୀ କରିଛି । ପାରାଦୀପ ବିଜେଡି ଗଡ ହୋଇଥିବାରୁ ସମ୍ବିତଙ୍କୁ ବିପୁଳ ସମର୍ଥନ ମିଳୁଥିବାର ନଜର ସାମ୍ନାକୁ ଆସିଛି । ଚଳିତ ନିର୍ବାଚନରେ ବାପ-ପୁଅ-ଝିଅ ରାଜନୀତି ମୈଦାନରେ ତେଣୁ ପରିବାର ବାଦ ରାଜନୀତିରେ ଦାମ ରାଉତଙ୍କ ପରିବାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।