Odisha Latest Breaking News & Current Headlines

କମିଶନରେଟ ପୋଲିସ ପକ୍ଷରୁ ଆଡ୍‌ଭାଇଜରି ଜାରି l

0

 

ଆମଭାରତ  { ଭୁବନେଶ୍ୱର },୧୪।୩   : ନିର୍ବାଚନ ତାରିଖ ଘୋଷଣା ପରଠୁ ବଢ଼ି ଚାଲିଛି ରାଜନୈତିକ ଉଷ୍ମତା। ଆଉ କିଛିଦିନ ପରେ  ଆରମ୍ଭ ହୋଇଯିବ ଜୋର୍‌ଦାର ପ୍ରଚାର। ରୋଡ୍‌ ଶୋ ଓ ସଭାରେ କମ୍ପି ଉଠିବ ଗାଁଠୁ ସହର। ରାଜ୍ୟର ରାଜନୈତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ଭୁବନେଶ୍ୱର ଓ କଟକରେ ଏବେଠୁ ବିଭିନ୍ନ ଦଳ ସଜବାଜ ଆରମ୍ଭ କରିଦେଇଥିବାବେଳେ କମିଶନରେଟ୍‌ ପୋଲିସ ବୁଧବାର ଆଡ୍‌ଭାଇଜରି ଜାରି କରିଛି।  ଏହାକୁ ସମସ୍ତେ ପାଳନ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ପରାମର୍ଶ ଦେଇଛନ୍ତି।

ଜାରି ଆଡ୍‌ଭାଇଜରି ଅନୁସାରେ, ସାଧାରଣ ସଭା, ରୋଡ୍‌ଶୋ ଏବଂ ରାଲି ପାଇଁ ଦଳଗୁଡିକ ଡିସିପି ଅଫିସରେ ଅନୁମୋଦନ ପାଇଁ ଆବେଦନ କରିବେ। ଅନୁମତି ମିଳିଥିବା ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ନିର୍ବାଚନୀ କାର୍ଯ୍ୟକ୍ରମ କରିପାରିବେ ନାହିଁ। ବେସରକାରୀ ଜମି ଉପରେ ସଭା କରିବାକୁ ହେଲେ ଉକ୍ତ  ଜମି ମାଲିକଙ୍କଠାରୁ ଅନୁମତି ଆଣିବାକୁ ପଡିବ। ଯଦି ଗୋଟିଏ ସ୍ଥାନ ପାଇଁ ଏକାଧିକ ରାଜନୈତିକ ଦଳ  ଆବେଦନ କରିଥିବେ, ପ୍ରଥମ ଆବେଦନକୁ ଅନୁମତି ମିଳିବ। ଏ ସମସ୍ତ ଘଟଣା ବିଷୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଯିବ। ସେହିଭଳି ଶୋଭାଯାତ୍ରାରେ କେତେ ଲୋକ ଓ କେତେ ଗାଡ଼ି ବ୍ୟବହାର କରାଯିବ ସେ ନେଇ ପୋଲିସକୁ ଆଗୁଆ ସୂଚନା ଦେବାକୁ ପଡିବ। ଏହାସହ ୧୦ରୁ ଅଧିକ ଚାରି ଚକିଆ ଯାନ ପ୍ରାର୍ଥୀମାନେ ରାଲିରେ ବ୍ୟବହାର କରିପାରିବେ ନାହିଁ। ଯଦି ବ୍ୟବହାର କରିବେ ୧୦୦ ମିଟର ବ୍ୟବଧାନରେ ଗାଡ଼ି ରଖାଯିବା ବାଧ୍ୟତାମୂଳକ। ରାସ୍ତାରେ ରାଲି ଯିବାବେଳେ ଅଧାଭାଗ ସାଧାରଣ ଲୋକଙ୍କ ପାଇଁ ଛଡାଯିବ। ରାଲିଗୁଡିକ ରାସ୍ତାର ଅଧାରୁ ଅଧିକ ସ୍ଥାନ ନେଇପାରିବ ନାହିଁ। ସେହିପରି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଶୋଭାଯାତ୍ରାରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା କରାଯିବା ସହ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଲାଇଟ୍‌ ସ୍ପିକର ବ୍ୟବହାର କରିବେ। ରୋଡ୍‌ ଶୋରେ ନାବାଳିକା ନାବାଳକଙ୍କୁ ବନ୍ଦ କରାଯାଇଛି। ବିଶେଷକରି ୟୁନିଫର୍ମରେ ଥିବା ସ୍କୁଲ ପିଲାଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ। ସର୍ବାଧିକ ୬ଫୁଟ ଚଉଡା ଓ ୪ ଫୁଟର ବ୍ୟାନର ବ୍ୟବହାର କରାଯାଇ ପାରିବ। ଏହାସହ ରାଲିରେ ବ୍ୟବହାର କରାଯାଉଥିବା ଗାଡିରେ ୧ଫୁଟ ଲମ୍ବର ଦଳୀୟ ପତାକା ବ୍ୟବହାର କରାଯିବ। ଶୋଭାଯାତ୍ରାବେଳେ କୌଣସି ପ୍ରକାର ମାରଣାସ୍ତ୍ର, ବାଡି ଓ ଲାଠି ବ୍ୟବହାର କରିବେନି ଦଳୀୟ କର୍ମୀ। ଅନୁମତି ମିଳିଥିବା ରୁଟ୍‌ରେ ହିଁ  ପ୍ରାର୍ଥୀଙ୍କ ଗାଡି ଯିବାଆସିବା କରିବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ମହାନ୍ତି କହିଛନ୍ତି।

Leave A Reply

Your email address will not be published.