ଆମଭାରତ : ସିଆରପିଏଫ୍ ଯବାନଙ୍କୁ ନେଇ ଯାଉଥିବା ୨ଟି ବସ୍ ଊପରେ ଜୈଶ-ଇ-ମହମ୍ମଦ ଆକ୍ରମଣ ଘଟଣାରେ ୪୦ ଜଣ ଯବାନ ସହିଦ ହେବାପରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା କରି ଆଡଭାଇଜରୀ ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଘରୋଇ ସ୍ୟାଟେଲାଇଟ୍ ଟିଭି ଚ୍ୟାନେଲମାନଙ୍କ ପାଇଁ ଜାରି କରାଯାଇଥିବା ଏହି ଆଡଭାଇଜରୀରେ ଏ ସଂକ୍ରାନ୍ତ ଖବର ପ୍ରସାରଣକୁ ନେଇ କିଛି କଟକଣା ରଖାଯାଇଛି।ଏଥିରେ କୁହାଯାଇଛି କେବୁଲ ଟେଲିଭିଜନ୍ ନେଟ୍ୱର୍କ ଆଇନ ୧୯୯୫ ଅନୁଯାୟୀ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଆଡଭାଇଜରୀ ଜାରି କରାଯାଇଛି। ଏହି ନିୟମ ଅନୁଯାୟୀ ଟିଭି ଚ୍ୟାନେଲ ମାନଙ୍କୁ ଖବର ପ୍ରସାରଣ କରିବାକୁ ପଡ଼ିବ।ବିଶେଷ କରି ସେମାନଙ୍କ ରିପୋର୍ଟର ବିଷୟବସ୍ତୁ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁନଥିବ ଏବଂ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପକୁ ଉସୁକାଉନଥିବ ସେଥିପ୍ରତି ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ। ଏହା ସହିତ ଏକଥା ମଧ୍ୟ କୁହାଯାଇଛି ଯେ ପ୍ରସାରିତ ରିପୋର୍ଟ ଯେପରି ଦେଶର ଅଖଣ୍ଡତା ବଜାୟ ରଖୁଥିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ। ପ୍ରସାରଣ ହେବାକୁ ଥିବା ଖବର ବା ରିପୋର୍ଟର ବିଷୟବସ୍ତୁ ଏସବୁ ନିୟମକୁ ଉଲ୍ଲଂଘନ କରିପାରିବ ନାହିଁ।ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ୍ର ସଭାପତି ରଜତ ଶର୍ମା ଏବଂ ଦି ଇଣ୍ଡିଆନ୍ ବ୍ରଡକାଷ୍ଟିଂ ଫାଉଣ୍ଡେସନ୍ ସଭାପତି ଏନ୍ପି ସିଂହଙ୍କୁ ମଧ୍ୟ ଏହି ଆଡଭାଇଜରୀର ନକଲ ପଠାଯାଇଛି।
ଗଣମାଧ୍ୟମ ପାଇଁ ଆଡ୍ଭାଇଜରୀ ଜାରି କଲେ ସରକାର ।
