- ଭୁବନେଶ୍ୱର( ଆମ ଭାରତ ): ମଦ ବିକ୍ରି ପାଇଁ ଅନ୍ଲାଇନ୍ ପରେ ଏବେ ରାଜ୍ୟ ସରକାରଙ୍କ ଅଫଲାଇନ୍ ଫଣ୍ଡା। କୋଭିଡ୍ ମହାମାରୀର ବିଭୀଷିକା ଭିତରେ ଆସନ୍ତାକାଲିଠୁ କାଉଣ୍ଟରରେ ମଦ ବିକ୍ରି ପାଇଁ ଘୋଷଣା କରିଛି ଅବକାରୀ ବିଭାଗ। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଇ-ଟୋକନ୍ ବ୍ୟବସ୍ଥା ଜରିଆରେ କାଉଣ୍ଟରରେ ମଦ ବିକ୍ରି ହେବ। ଅଫ୍ ସପ୍ ଓ ଅନ୍ ସପ୍ରେ ହୋଇପାରିବ ମଦ ବିକ୍ରି। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି।
- ସକାଳ ୭ରୁ ସଂଧ୍ୟା ୬ଯାଏଁ କାଉଣ୍ଟରରେ ଧାର୍ଯ୍ୟ ମୂଲ୍ୟ ଅନୁସାରେ ମଦ କିଣିପାରିବେ ଗ୍ରାହକ। ଏଥିପାଇଁ ଇ-ଟୋକନ ବ୍ୟବସ୍ଥା କରିଛି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ। ଗ୍ରାହକ ପ୍ରଥମେ OSBC.CO.IN ୱେବସାଇଟ୍କୁ ଯାଇ ଗ୍ରାହକ ଟାଇମ୍ ସ୍ଲଟ୍ ବୁକ୍ କରିବେ। ଏହାପରେ ମୋବାଇଲକୁ ଏକ ମେସେଜ୍ ଆସିବ। ସେହି ମେସେଜକୁ କାଉଣ୍ଟରରେ ଦେଖାଇ ଉଭୟ ବିଦେଶୀ ମଦ ଓ ବିୟରକୁ କିଣିପାରିବେ ଗ୍ରାହକ। ତେବେ କାଉଣ୍ଟରରେ ସାମାଜିକ ଦୂରତା ବଜାୟ ସହ ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ଜରୁରୀ। ତେବେ ନିୟମ ଉଲ୍ଲଂଘନ ହେଲେ ଜିଲ୍ଲାପାଳ ଦୋକାନ ବନ୍ଦ କରିପାରିବେ।
ପୂର୍ବଭଳି ଅନ୍ଲାଇନରେ ମଦ ବିକ୍ରି ସହ ହୋମ୍ ଡେଲିଭରି ବ୍ୟବସ୍ଥା ଚାଲୁରହିବ। କାଲିଠୁ ଅନ୍ଲାଇନରେ ମଧ୍ୟ ଦେଶୀ ମଦ ବିକ୍ରି ପାଇଁ ନିଷ୍ପତ୍ତି ହୋଇଛି। ତେବେ ସରକାର କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଯେଉଁସବୁ ଗାଇଡ୍ଳାଇନ୍ ଜାରି କରିଛନ୍ତି, ସବୁ ପାଳନ କରିବା ସହ ନୋ ମାସ୍କ ନୋ ୱାଇନ ବ୍ୟବସ୍ଥା କରିବେ ବୋଲି ବ୍ୟବସାୟୀ କହିଛନ୍ତି। ଅଫ୍ସପ୍ ତଥା ଠିପି ଖୋଲା ବିଦେଶୀ ମଦ ଦୋକାନରେ ମଧ୍ୟ ଠିପିବନ୍ଦ ଭାବେ ବିକ୍ରି କରାଯାଇପାରିବ।