Odisha Latest Breaking News & Current Headlines

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଦଳୀୟ ମୁଖ୍ୟାଳୟରେ ପାଳିତ ହେଲା ।

0

ଭୁବନେଶ୍ୱର ( ଆମ ଭାରତ ) ୧୭/୪ :

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦଳୀୟ ମୁଖ୍ୟାଳୟରେ ମାଲ୍ୟାର୍ପଣ ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜୁ ବାବୁ ଜଣେ ସାହସୀ, ସ୍ୱାଭିମାନି ତଥା ଯୁଗ ସ୍ରଷ୍ଟା ଓ ପ୍ରଚଣ୍ଡ ଦୂରଦୃଷ୍ଟି ସଂପନ ନେତା ଥିଲେ। ଆଧୁନିକ ଓଡ଼ିଶାର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ। ଓଡିଶାକୁ ଦେଶର ଏକ ସମୃଦ୍ଧ ରାଜ୍ୟ କରିବା ପାଇଁ ତାଙ୍କର ଜୀବନବ୍ୟାପୀ ଅବଦାନ ରହିଥିଲା। ମୃତ୍ୟୁପରେ ବି ପ୍ରତି ଓଡ଼ିଆଙ୍କ ମାନସ ପଟରେ ସେ ଅମର ଏବଂ ଚିର ପୂଜନୀୟ ବୋଲି ଦାସବର୍ମା କହିଥିଲେ।

ସଞ୍ଜୟ ଦାସବର୍ମା ନିଜର ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ମହାମାରି କରୋନା ମୁକାବିଲା ପାଇଁ ଦଳୀୟ କର୍ମୀ, ନେତୃ ମଣ୍ଡଳୀ ଓ ନିର୍ବାଚିତ ପ୍ରତିନିଧିମାନକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପ୍ରେରଣାରେ ସଫଳତାର ସହ ଚାଲି ଆସିଥିବା ଜୀବନ ବିନ୍ଦୁ(ରକ୍ତଦାନ) କାର୍ଯ୍ୟକ୍ରମକୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଗେଇନେବା ହିଁ ପ୍ରବାଦ ପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦାସବର୍ମା କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ମାଲ୍ୟର୍ପଣ ଠାରୁ ଆରମ୍ଭ କରି ବକ୍ତବ୍ୟ ପ୍ରଦାନ ସମୟରେ ସମସ୍ତ ନେତା ସାମାଜିକ ଦୂରତା ରକ୍ଷା କରିଥିଲେ।

Leave A Reply

Your email address will not be published.