ଭୁବନେଶ୍ୱର ( ଆମ ଭାରତ ) ୨୧/୯ :
ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିବାବେଳେ ପୋଲିସ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରୁଛି ।ସୂଚନା ଅନୁସାରେ, ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମର ରଘୁନାଥ ଓଝାଙ୍କୁ ତାଙ୍କ ଗ୍ରାମର କିଛି ବ୍ୟକ୍ତି ଗତ 1 ତାରିଖ ଦିନ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସେ ନିଆଳି ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ନିଆଳି ଥାନା ପକ୍ଷରୁ ନିଆଳି ମେଡିକାଲ ଓ ପରେ କଟକ ମେଡିକାଲ ନେଇ ଚିକିତ୍ସା କରି ଛାଡି ଦେଇଥିଲେ।
ଆକ୍ରମଣକାରୀ କପିଳେନ୍ଦ୍ର ନାୟକ,ଚୁପକ ନାୟକ,ମାନସ ନାୟକ,ବ୍ରଜ କିଶୋର ପରିଡା ସୁଧୀର ରାଉତ ଏବଂ ପ୍ରଭୁଚରଣ ନାୟକଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେ ତାଙ୍କ ଦରଖାସ୍ତରେ ଦର୍ଶାଇଛନ୍ତି ।ଏନେଇ ସେ ନିଆଳି ଥାନା, ଏସଡିପିଓ ଅଡ଼ସପୁର, କଟକ, ଗ୍ରାମାଞ୍ଚଳ ଏସପି କଟକ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କେହି ବି ତାଙ୍କ କଥା ଶୁଣୁ ନ ଥିବା ସେ ଉଲ୍ଲେଖ କରିଛନ୍ତି। ଯାହାଫଳରେ ଅଭିଯୁକ୍ତମାନେ ତାଙ୍କୁ ଓ ତାଙ୍କ ପରିବାରକୁ ବିଭିନ୍ନ ପ୍ରକାର ଧମକ ଦେଉଥିବାରୁ ସେ ଓ ତାଙ୍କ ପରିବାର ଲୋକେ ଆତଙ୍କିତ ଥିବା କହିଛନ୍ତି। ତେଣୁ ସେ ଆସାମୀଙ୍କ ହାତରେ ମରିବା ଅପେକ୍ଷା ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ବାଛିଲେ ବୋଲି କହିଛନ୍ତି ।