ଢେଙ୍କାନାଳ ( ଆମ ଭାରତ ) ୨୦/୯ :
ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓକିଲ ସଂଘ ଉନ୍ମତ କାଣ୍ଡ ଘଟାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କୁ ଧକ୍କା ମାରିବା ସହିତ ଫୁଲକୁଣ୍ଡ ଆଦି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଏକ ମାମଲାର ଶୁଣାଣୀବେଳେ ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ମାମଲାର ଶୁଣାଣୀ ହେବାର ଥିଲା । ମାତ୍ର ଜିଲ୍ଲାପାଳ ବିଳମ୍ବରେ ଅଫିସ୍ରେ ପହଁଚିଥିଲେ । ଯାହାକୁ ନେଇ ଜିଲ୍ଲାପାଳ ଓ ଓକିଲଙ୍କ ମଧ୍ୟରେ ବଚସା ହୋଇଥିଲା । ବିଳମ୍ବର କାରଣ ପଚାରିବାରୁ ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହା ପରେ ଓକିଲ ସଂଘ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ସଂଘବଦ୍ଧ ଭାବେ ଅଫିସ୍ ଘେରାଉ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଭବେସ୍ ନାୟକଙ୍କୁ ଠେଲା ପେଲା କରିବା ସହିତ ସେଠାରେ ଥିବା ଫୁଲକୁଣ୍ଡକୁ ଭଙ୍ଗାରୁଜା କରିଛନ୍ତି । ଏହା ସହିତ ଅନ୍ୟ କର୍ମଚାରୀଙ୍କୁ ମଧ୍ୟରେ କାର୍ଯ୍ୟାଳୟରୁ ବାହାର କରି ଦେଇଥିଲେ ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚିଛି । ସେପଟେ ଓକିଲମାନେ ଧାରଣାରେ ବସି ରହିଛନ୍ତି । ଯେପର୍ଯ୍ୟନ୍ତ ଜିଲ୍ଲାପାଳ ନିଜେ ଆଲୋଚନା ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।