ବାଲେଶ୍ବର ( ଆମ ଭାରତ ) ୧୨/୯ :
ସ୍କୁଲ ଭିତରେ ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣା ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ମଠସାହି ମହାବୀର ନୋଡାଲ ବିଦ୍ୟାଳୟରେ ଘଟିଛି।ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦିଆଯିବା ପରେ ସିଆରସିସିଙ୍କ ନେତୃତ୍ବରେ ଗଠିତ ଏକ ଟିମ୍ ସେହି ସ୍କୁଲକୁ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜେରା କରିବା ସହ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ପ୍ରମୋଦ ଷଡ଼ଙ୍ଗୀ କହିଛନ୍ତି।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ରଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି।
ଉଲ୍ଲେଖନୀୟ ଗତକାଲି ଅପରାହ୍ନ ସମୟରେ ପ୍ରଥମ ଶ୍ରେଣୀର ପିଲାଟି ଶୌଚାଳୟକୁ ଯାଇଥିଲା । ଏହି ସମୟରେ ସ୍କୁଲ ଛୁଟି ହେବାରୁ ପିଅନ ସମସ୍ତ ଶ୍ରେଣୀ ଗୃହ ଯାଞ୍ଚ କରିଥିଲେ । ପ୍ରଥମ ଶ୍ରେଣୀରେ ଏକ ବ୍ୟାଗ ଥିବା ଜାଣି ମଧ୍ୟ ସେ ଗେଟ୍ରେ ତାଲା ପକାଇ ଦେଇଥିଲେ । ପିଲାଟି ଶୌଚାଳୟରୁ ଆସିବା ପରେ ଗେଟ୍ରେ ତାଲା ପଡ଼ିଥିବା ଦେଖି ଜୋର୍ରେ କାନ୍ଦିବାକୁ ଲାଗିଲା । ଗାଁ ଲୋକ ପିଲାର କାନ୍ଦ ଶୁଣି ପିଅନକୁ ଡାକି ତାଲା ଫିଟାଇ ଥିଲେ ।
ସେପଟେ ପ୍ରଧାନ ଶିକ୍ଷୟତ୍ରୀ ତାଲା ପକାଯିବା ଘଟଣାକୁ ସ୍ୱୀକାର କରି ଅଜବ ଯୁକ୍ତି ଦର୍ଶାଇଥିଲେ। ଜାଣି ଶୁଣି ତାଲା ପକାଯାଇଥିଲା ବୋଲି ସେ ଯୁକ୍ତି ବାଢିଥିଲେ। ସେ କହିଛନ୍ତି ରାସ୍ତା ପାଖ ସ୍କୁଲ ହୋଇଥିବାରୁ ଅଭିଭାବକ ନ ଆସିବା ଯାଏଁ ପିଲାଙ୍କୁ ଛଡ଼ା ଯାଏଁ ନାହିଁ । ଅଭିଭାବକ ଆସିଲେ ସେମାନଙ୍କ ସହିତ ପିଲାଙ୍କୁ ଛଡ଼ା ଯାଏ । ଯେଉଁଦିନ ନ ଆସନ୍ତି ସେଦିନ ଏମିତି ତାଲା ପକାଇ ରଖାଯାଇଥାଏ । ମୁଁ ଏବଂ ଅନ୍ୟ ଷ୍ଟାପ୍ ତାଲା ପକା ବିଷୟରେ ଜାଣିଥିଲୁ । ଆମେ ତାକୁ ଗେଟ୍ରେ ତାଲା ପକାଇ ବାହାରେ ଜଗିଥିଲୁ ବୋଲି ସେ ସଫେଇ ଦେଇଥିଲେ।