ଆମଭାରତ ( ପାରାଦୀପ ) ୫/୮ : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ପୁଲିସ୍ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ତା’ ନାଁ ବିକ୍ରମ ପାଲ ଓରଫ୍ ଡନ୍। ତା’ର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିତୁଠ କଙ୍କରଡିଆ ରାସ୍ତାରେ ଡନ୍ ବାଇକ୍ରେ ଯାଉଥିବା ଜାଣି ପୁଲିସ୍ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଡନ୍ ପୁଲିସ୍ ଉପରକୁ ଗୁଳି ଚଳାଇବା ସହ ବୋମାମାଡ଼ କରିଥିଲା। ଯାହାର ଜବାବରେ ପୁଲିସ୍ ତା’ ଉପରକୁ ଗୁଳି ଚଳାଇ କାବୁ କରିଥିଲା। ଡନ୍ ସହ ପୁଲିସ୍ର ମୁହାଁମୁହିଁ ବେଳେ ଜଣେ ଏସ୍ଆଇ ଆହତ ହୋଇଛନ୍ତି।
ଡନ୍ ନାଁରେ ଦାଦାବଟି, ବୋମାମାଡ଼, ଲୁଟ୍ ଭଳି ୪୦ରୁ ଅଧିକ ମାମଲା ରହିଛି। ଖାଲି ଏତିକି ନୁହେଁ ସେ ଏକାଧିକ ଥର ଜେଲ୍ ଯାଇ ଜାମିନରେ ମଧ୍ୟ ଆସିଛି। ନିକଟରେ ଡନ୍ ଏକ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବା ନେଇ ପୁଲିସ୍ ଜାଣିବାକୁ ପାଇଥିଲା।