ଆମଭାରତ ( ନୂଆଦିଲ୍ଲୀ/ଭୁବନେଶ୍ୱର ) ୨୪/୬ : କେନ୍ଦ୍ରସରକାର ୨୦୨୦ ସୁଦ୍ଧା ୨୫୦୦ ଜନ ଔଷଧ କେନ୍ଦ୍ର ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ପ୍ରତି ବ୍ଲକରେ ଲୋକଙ୍କୁ ଶସ୍ତା ଔଷଧ ଯୋଗାଇ ଦେବା ପାଇଁ ଜନ ଔଷଧ କେନ୍ଦ୍ର ଖୋଲିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଲୋକଙ୍କ ପାଖରେ ସ୍ୱଳ୍ପ ଦାମରେ ସଠିକ ଔଷଧ ପହଞ୍ଚାଇବା ମୋଦି ସରକାରର ଲକ୍ଷ୍ୟ ରହିଛି। ଯଦି ଆପଣ ଚାହୁଁଛନ୍ତି ତାହାଲେ ଜନ ଔଷଧ ସେଣ୍ଟର ପାଇଁ ଆବେଦନ କରିପାରିବେ।
କିଏ ଖୋଲିପାରିବେ ଏହି ଜନ ଔଷଧ କେନ୍ଦ୍ର
ପ୍ରଥମେ ବେରୋଜଗାର ଫାର୍ମାସିଷ୍ଟ, ବେରୋଜଗାର ଡାକ୍ତର ଏବଂ ଦ୍ୱିତୀୟରେ ଟ୍ରଷ୍ଟ, ଏନଜିଓ, ଘରୋଇ ହସ୍ପିଟାଲ, ସ୍ୱୟଂ ସହାୟକ ଗ୍ରୁପ ଓ ତୃତୀୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସଂସ୍ଥା। ଏହି ଦୋକାନ ଖୋଲିବା ପାଇଁ ୧୨୦ ବର୍ଗଫୁଟର ଜାଗା ଆବଶ୍ୟକ ରହିଛି।
କେନ୍ଦ୍ର ଦେବ ସହାୟତା
ଜନ ଔଷଧ କେନ୍ଦ୍ରରେ ବିକ୍ରି ହେବାକୁ ଥିବା ଔଷଧରେ ଦୋକାନୀ ୨୦ ପ୍ରତିଶତ ଲାଭ ପାଇବ। ଏହାପରେ ମୋଟ ବିକ୍ରିର ୧୫ ପ୍ରତିଶତ ଇନସେନଟିଭ ବା ପ୍ରୋତ୍ସାହନ ଆକାରରେ ମିଳିବ। ଏହି ଇନସେନଟିଭ ମାସକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରିବ। ଏହି ଇନସେନଟିଭ ରାଶି ସର୍ବମୋଟ ୨.୫୦ ଲକ୍ଷ ଟଙ୍କା ହୋଇଯିବା ପରେ କିନ୍ତୁ ଆଉ ମିଳିବ ନାହିଁ।
ଏହି ଜନ ଔଷଧ ଦୋକାନ ଖୋଲିବା ପାଇଁ https://janaushadhi.gov.in/ରେ କ୍ଲିକ୍ କରି ଫର୍ମ ଡାଉନଲୋଡ କରିହେବ। ଏହାକୁ ପୂରଣ କରିବା ପରେ ଫର୍ମରେ ଲେଖାଯାଇଥିବା ଠିକଣାକୁ ଆପଣ ଆବେଦନ ପଠାଇ ପାରିବେ।